Friday, 21 April 2017

କଥା ତ ଅଛି.


କଥା ତ ଅଛି


କଥା ତ ଅଛି...
ଦୋଳି ଖେଳିବା ପିଲା ଆଜି
ସହରରେ ଟଙ୍କା ଗୋଟୋଉଛି..
କଥା ତ ନିଶ୍ଚୟ ଅଛି...
ବାଜି ରାଉତ ଚାରି ନମ୍ବର ମାଛ ହାଟରେ ଦଲାଲୀ କରୁଛି..
ଅନନ୍ତା ରାସ୍ତାକଡରେ ଚପ ଖାଉଛି...
ଧରମା ସମୁଦ୍ରକୂଳେ ଚିଙ୍ଗୁଡ଼ି ବିକୁଛି...
କଥା ତ ନିଶ୍ଚୟ ଅଛି...
ବିଲୁଆ ନନା ତାଳ ଫୋଟକା କୁ ଡରି
ପୋଲତଳେ ଲୁଚିଛି..
ଏବେ ସହର ଭିତରେ ଡାକ୍ତରଖାନା ର
ଅଳିଆ ଖାଉଛି...
କଥା ଯିବ କୁଆଡେ ଭାଇ ? ଆମରି ଭିତରେ ଅଛି..

କଥା ଅଛି ଭାଇ
ସବୁ ଅଛି
ଯିଏ ଦେଶ ପାଇଁ ଜୀବନ ଲଗେଇ
ମେଡାଲ ଆଣିଥିଲା
ସିଏ ସାଇ ସାଇ ବୁଲି ଶୁଖୁଆ ବିକୁଛି...
ରକତ ବୁହାଇ ଯିଏ ଫସଲ କାଟୁଥିଲା
ମୁଣ୍ଡ ଝାଳ ତୁଣ୍ଡରେ ମାରି
ମାଟିରେ ମୁହଁ ଦେଖୁଥିଲା
ଖୋଜକୁ ଲକ୍ଷେରେ ବିଲ ବିକୁଛି...
ଘିଅରେ ଖାଇ ଖୀରରେ ଆଞ୍ଚେଇବା ଲୋକ
ନାଲି ଚାହା ପିଇ ହାକୁଟି ମାରୁଚି...
ଅଛି ଭାଇ, ସବୁ ଏବେ ବି ଅଛି...

କଥା ଅଛି..
କୁଆଡେ ଯିବ ?
ମୋ ଗାଁ ଯେମିତି ଥିଲା
ଏବେ ବି ସେମିତି ଅଛି...
ଘର ସବୁ ସେମିତି ଥିଲା
ଲୋକ ଆସୁଥିଲେ ଯାଉଥିଲେ
ଘର ଭିତରେ ଏବେ କାନ୍ଥ ପଡୁଛି...
ଲୋକ ନାହାନ୍ତି
ତାଟି ପଡୁଛି...
ମୁହଁ ରେ ହସ ନାହିଁ କାହାର
ଗୋଚର ଜମିରେ କଲେଜ ଠିଆ ହେଇଛି...
ଆମ୍ବତୋଟା ନାହିଁ
ପଟାସ ଗଛ ଲାଗିଛି...
ପୋଖରୀରେ ଆଉ ପଦ୍ମ ଫୁଟୁନି
ମାଛ ଚାଷ ହଉଚି...
ଥଣ୍ଡା ପାଣି ନାହିଁ ଆଉ
କୁକୁଡ଼ା ଲଣ୍ଡି ପଡୁଛି...
କଥା ଅଛି ଭାଇ...
ଯାହା ଥିଲା ଆଗରେ
ଏବେ ସବୁ ସେଇଆ ଅଛି...

No comments:

Post a Comment